ଭଞ୍ଜନଗର,୨୨।୯(ନିଲୁ ବିଷୋୟୀ):ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ସମ୍ଭାବ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା, ପବନ, ଭୂସ୍ଖଳନ ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ମଙ୍ଗଳବାର ବେଲଗୁଣ୍ଠା ବ୍ଲକ ଅଧୀନ ମନ୍ଦାର, ଭଞ୍ଜନଗର ବ୍ଳକର ତୁରୁମୁ ବହୁମୁଖୀ ବାତ୍ୟା ଆଶ୍ରୟ କେନ୍ଦ୍ର ଏବଂ କଳିଙ୍ଗା ଘାଟି ଅଞ୍ଚଳ ପରିଦର୍ଶନ କରି ବିପର୍ଯ୍ୟୟ ମୁକାବିଲା ପାଇଁ ରହିଥିବା ପ୍ରସ୍ତୁତି ଓ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଜାତୀୟ ରାଜପଥ ସହକାରୀ ନିର୍ବାହୀ ଯନ୍ତ୍ରୀ ସତିଶ ପଟେଲ ଓ ଯନ୍ତ୍ରୀ ସୌରଭ ମହାନ୍ତିଙ୍କ ସହ ଘାଟିର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହ ଉଭୟ ପଟୁ ଘାଟି ବନ୍ଦ କରିବା ଦିଗରେ ପଦକ୍ଷେପ ନେବାକୁ ଆଲୋଚନା କରିଥିଲେ। ଏଥିସହ ଯାତାୟାତ ପାଇଁ ନିଧିଆପଲ୍ଲି ଠାରୁ ଗାଲେରୀ – ଚକାପାଦ ରାସ୍ତା ଦେଇ ଟିକାବାଲି ବାହାରି ଯିବା ନେଇ ସୂଚନା ଜାରି କରାଯାଇଛି। ପୁଲିସ ପକ୍ଷରୁ ମଧ୍ୟ ନାକା ବ୍ୟବସ୍ଥା କରାଯାଉଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି। ଏଥିସହ ବିଭିନ୍ନ ଆଶ୍ରୟସ୍ଥଳୀ ଗୁଡ଼ିକରେ ପାନୀୟ ଜଳ, ବିଦ୍ୟୁତ୍, ଆଲୋକ, ପରିମଳ ବ୍ୟବସ୍ଥା, ଆବଶ୍ୟକ ଔଷଧ, ଖାଦ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧା ପ୍ରସ୍ତୁତ ରଖିବା ସହ ଆବଶ୍ୟକ ସମୟରେ ଅସୁରକ୍ଷିତ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ପାଇଁ ସଜାଗ ରହିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ଟୁଲିଆମା,ବିଡିଓ ଭାରତୀ ଦେବୀ,ଅତିରିକ୍ତ ତହସିଲଦାର ଅବିନାଶ କୁମାର ମହାରଙ୍କ ସମେତ ଉପଖଣ୍ଡ ପ୍ରଶାସନ,ତହସିଲ, ବ୍ଲକ୍ ପ୍ରଶାସନ ଓ ବିଭିନ୍ନ ବିଭାଗର ସମ୍ପୃକ୍ତ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ।

