ସିନାପାଲି,୧୪/୦୬(ପରମେଶ୍ୱର ମେହେର):ଖେଳାଳି ମାନଙ୍କ ଖେଳପ୍ରତି ଆଗ୍ରହ ଦେଖି ସରକାର ଖେଳାଳିଙ୍କ ପାଇଁ ବିଭିନ୍ନ ଯୋଜନାମାନ ପ୍ରସ୍ତୁତ କରୁଛନ୍ତି । ଏହି ଆଧାରରେ ନୂଆପଡା ଜିଲ୍ଲା, ସିନାପାଲି ବ୍ଲକ ଅଞ୍ଚଳରେ ଏକ ଅତ୍ୟାଧୁନିକ ଷ୍ଟାଡିୟମ ନିର୍ମାଣ ପାଇଁ ଅନେକ ବର୍ଷ ଧରି ଖେଳାଳି ଯୁବକ ଏବଂ କ୍ରୀଡାପ୍ରେମୀ ଜନସାଧାରଣଙ୍କ ଠାରୁ ବାରମ୍ବାର ଦାବିପତ୍ର ଆସୁଛି। ଏଠି ସଠିକ୍ ଧରଣର କ୍ରୀଡା ଭିତ୍ତିଭୂମିର ଅଭାବ ଥିବାଯୋଗୁଁ , ଏଠାକାର ଖେଳାଳି ଯୁବପିଢି ଖେଳର ଉତ୍ତମ ଅଭ୍ଯାସ ଓ ପ୍ରଶିକ୍ଷଣ ସୁବିଧାସୁଯୋଗରୁ ବାରମ୍ବାର ବଞ୍ଚିତ ରହୁଛନ୍ତି। ସିନାପାଲି ବ୍ଲକ୍ ର ବିଭିନ୍ନ ଗ୍ରାମରେ ଫୁଟବଲ, ଭଳିବଲ ,କ୍ରିକେଟ ଓ କବାଡି ଭଳି ବିଭିନ୍ନ କ୍ରୀଡାରେ ଯୁବକ ମାନଙ୍କର ସକ୍ରିୟ ଅଂଶଗ୍ରହଣ ରହିଛି , ହେଲେ ନିୟମିତ ଖେଳ ପ୍ରତିଯୋଗିତା ଓ ପ୍ରଶିକ୍ଷଣ ପାଇଁ ଉପଯୁକ୍ତ ମାନର ଷ୍ଟାଡିୟମ ନ ଥିବା ଏକ ବଡ ସମସ୍ଯାର କାରଣ ରହିଛି । ଏ ଅଞ୍ଚଳର ସମସ୍ତ କ୍ରୀଡା ପ୍ରେମୀ ଯୁବସମାଜ ଅନେକ ଥର ସିନାପାଲି ଅଞ୍ଚଳରେ ଉଚ୍ଚମାନର ଷ୍ଟାଡିୟମ ନିର୍ମାଣ ପାଇଁ ବାରମ୍ବାର ଦାବି କରି ଆସୁଛନ୍ତି। ରାଜନୈତିକ କ୍ଷେତ୍ରରେ ମଧ୍ଯ ଏହି ଅଞ୍ଚଳରେ ଷ୍ଟାଡିୟମ ନିର୍ମାଣ ପାଇଁ ଅନେକଥର ଚର୍ଚ୍ଚା ମଧ୍ଯ ହୋଇସାରିଛି । ସିନାପାଲି ବ୍ଲକ ସ୍ତରର ବାର୍ଷିକ କ୍ରୀଡା ମହୋତ୍ସବ , ଉଚ୍ଚମାନର ଖେଳ ପ୍ରତିଯୋଗିତା ପଡିଆ ଅଭାବରୁ ଅସ୍ଥାଇ ଯାଗାରେ କରାଯାଉଛି । ଏ ଅଞ୍ଚଳର ବିଧାୟକ, ଜିଲ୍ଲାପରିଷଦ, ସାଂସଦ, ବୁଦ୍ଧିଜୀବୀ , ରାଜନେତା ଓ ଜନସାଧାରଣ ଏହି ଦାବିକୁ ପୂର୍ଣ୍ଣ ସମର୍ଥନ କରୁଛନ୍ତି, ତଥାପି ଏହି କାର୍ଯ୍ୟରେ ବିଲମ୍ବ କାହିଁକି ? ପ୍ରଶ୍ନ କରୁଛନ୍ତି ଯୁବ ସମାଜ। ସରକାରଙ୍କ ତରଫରୁ ଯୋଜନା ହୋଇଥିବା ୩୧୪ ଗୋଟି ବ୍ଳକରେ ବ୍ଲକ ସ୍ତରୀୟ ଅତ୍ଯାଧୁନିକ ଷ୍ଟାଡିୟମ ପ୍ରକଲ୍ପ ଅନ୍ତର୍ଗତରେ ନୂଆପଡା ଜିଲ୍ଲାର ସିନାପାଲି ବ୍ଲକ କୁ ମଧ୍ଯ ସଂଲଗ୍ନ କରି, ଏଠାରେ ଏକ ଅତ୍ୟାଧୁନିକ ଷ୍ଟାଡିୟମ ନିର୍ମାଣ କରାଯିବା ପାଇଁ ଅଞ୍ଚଳର ଜନସାଧାରଣ ତଥା ଖେଳାଳି ମାନେ ସରକାରଙ୍କ ଠାରେ ଦାବି ଉପସ୍ଥାପନା କରୁଛନ୍ତି। ଏହା ପୁର୍ବରୁ ଅନେକଥର କ୍ରିଡା ପ୍ରେମୀ ଯୁବସମାଜ ସିନାପାଲି ରେ ଷ୍ଟାଡିୟମ ନିର୍ମାଣ ପାଇଁ ବିଭିନ୍ନ ସମୟରେ ଦାବି ରଖି ଆସୁଛନ୍ତି । ସୂଚନା ମୁତାବକ ସିନାପାଲି ରେ ସରକାରୀ ଯାଗା ଅଭାବ ଦର୍ଶାଇ ବର୍ଷ ୨୦୧୭-୧୮ ରେ ବ୍ଲକ ସ୍ତରୀୟ ମିନି ଷ୍ଟାଡିୟମ ହାତିବନ୍ଧା ଗ୍ରାମ ପଞ୍ଚାୟତକୁ ସ୍ଥାନାନ୍ତର କରାଯାଇଥିଲା ।ବର୍ତ୍ତମାନ ସିନାପାଲି ବ୍ଲକ ମୁଖ୍ଯ ଡାକ୍ତଖାନା ନିକଟବର୍ତ୍ତି ଧାନମଣ୍ଡି ପାର୍ଶ୍ବରେ ଷ୍ଟାଡିୟମ ପାଇଁ ପ୍ରଶାସନ ପକ୍ଷରୁ ସ୍ଥାନ ନିରୁପଣ କରିଥିଲେ ମଧ୍ଯ ଏଯାବତ ଷ୍ଟାଡିୟମ କାମ ଆରମ୍ଭ ନ ହେବା କାରଣରୁ ଖେଳାଳି ଓ ଖେଳପ୍ରେମୀ ମାନଙ୍କ ମନରେ ତିବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଏନେଇ ସିନାପାଲିର ଯୁବ ସମାଜ ବାରମ୍ବାର ପ୍ରଶାସନ ର ଦୃଷ୍ଟିଗୋଚର କରୁଛନ୍ତି । ସିନାପାଲି ତଥା ସିନାପାଲି ବ୍ଲକ ଅଧିନସ୍ଥ ସମସ୍ତ ଗ୍ରାମ ପଞ୍ଚାୟତରେ ମଧ୍ଯ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ ଖେଳପଡିଆ ନିର୍ମାଣ ଅତି ଆବଶ୍ୟକ ହୋଇପଡ଼ିଛି। ଏହି ପ୍ରସଙ୍ଗ ରେ ସରକାର ,ରାଜନେତା ଏବଂ ପ୍ରଶାସନ ର ହସ୍ତକ୍ଷେପ ଓ ଅନୁମୋଦନର ଅତ୍ଯନ୍ତ ଆବଶ୍ଯକତା ରହିଛି। ଖେଳାଳି ତଥା ଖେଳପ୍ରେମୀ ମାନଙ୍କ ଏସବୁ ଦାବି ଗୁଡିକୁ ସରକାର ଗୁରୁତ୍ବ ଦେଇ କାମକୁ ଆଗେଇ ନେଲେ ସିନାପାଲି ଅଞ୍ଚଳରେ ଖେଳର ଭିତ୍ତିଭୂମି ସୁଦୃଢ ହେବବୋଲି ବୁଦ୍ଧିଜୀବୀ ମହଲରେ ମତବ୍ୟକ୍ତ କରୁଛନ୍ତି। ଆଗକୁ ଦେଖିବାର ଅଛି ଯେ ଖେଳାଳି ଯୁବକ ମାନଙ୍କ ଅପେକ୍ଷାର ଅନ୍ତ କେବେ ହେଉଛି ଓ ଅଞ୍ଚଳ ବାସୀଙ୍କ ଅତ୍ୟାଧୁନିକ ଷ୍ଟାଡିୟମ ନିର୍ମାଣର ସ୍ବପ୍ନ କେବେ ପୁରଣ ହେଉଛି ।

