ବୋଲଗଡ଼,୦୨।୧୧(ସୁଶାନ୍ତ କୁମାର ପ୍ରଧାନ):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ଐତିହ୍ୟ ସଂପୂର୍ଣ୍ଣ ସଂପୁର ଚତୁର୍ଭୁଜ ଉଚ୍ଚ ବିଦ୍ୟାଳୟ ଏବେ ଜଣ୍ଡିସ୍ ଆତଙ୍କରେ ଥରୁଛି। ଏକା ବିଦ୍ୟାଳୟର ୧୦ ରୁ ଅଧିକ ଛାତ୍ରଛାତ୍ରୀ ଜଣ୍ଡିସ୍ ରୋଗରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହେବା ପରେ ଅଞ୍ଚଳରେ ଚିନ୍ତା ଓ ଆତଙ୍କ ଖେଳିଯାଇଛି।ପ୍ରାପ୍ତ ସୂଚନା ଅନୁଯାୟୀ, ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେବାଶିଷ ଜେନା, ସାଗର ମହାନ୍ତି, ପ୍ରିୟଦର୍ଶିନୀ ଜେନା, ସମ୍ୟସାଇ ଜେନା, ଶିବପ୍ରସାଦ ନାୟକ, କାଳିଆ ସାହୁ, ସ୍ମୃତିରଞ୍ଜନ ମହାନ୍ତି, ଅମରେଶ ସେନାପତି* ପ୍ରମୁଖ ଅଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓ ଜଣେ ଛାତ୍ରୀ ଲିପି ପରିଡା ଭୁବନେଶ୍ୱର ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଗୋଟିଏ ସ୍କୁଲରେ ଏତେ ସଂଖ୍ୟକ ପିଲା ଏକାଠି ଆକ୍ରାନ୍ତ ହେବା ପଛରେ ବିଦ୍ୟାଳୟର ପାନୀୟ ଜଳ ଓ ମଧ୍ୟାହ୍ନ ଭୋଜନରେ ଅନିୟମିତତା ଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏ ନେଇ ପ୍ରଧାନ ଶିକ୍ଷୟିତ୍ରୀ ଶୈଳବାଳା ମଲ୍ଲିକ ଙ୍କୁ ପଚାରିବାରୁ ସେ କହିଛନ୍ତି, “ସ୍କୁଲ ଛୁଟି ଥିଲା, ଏବେ ଖୋଲିଛି। କୌଣସି ଅଭିଭାବକ ମୋତେ କିଛି ଜଣାଇ ନାହାନ୍ତି। ଆଜି ଜଣେ ପିଲାର ଅଭିଭାବକ ଫୋନ କରି କହିଲେ ମାଡାମ ମୋ ପୁଅର ଜଣ୍ଡିସ୍ ହୋଇଛି, ସେ ସ୍କୁଲ ଖାଦ୍ୟ ଖାଇବନି, ଘରୁ ଟିଫିନ ନେଇ ଯାଇଛି। ତାଙ୍କ ସାହିର ଆହୁରି କିଛି ପିଲାଙ୍କୁ ହୋଇଛି। ମୁଁ କିଛି ଅଭିଭାବକଙ୍କୁ ଫୋନ କଲି, ସେମାନେ କହିଲେ ବାନ୍ତି ହେଉଛି, ମେଡିକାଲ ଆଣିଛୁ, ରିପୋର୍ଟ ଆସିନି। କିନ୍ତୁ ପରେ କେହି ଜଣାଇଲେ ନାହିଁ। ମୁଁ କାଲି BEO ଙ୍କୁ ଜଣାଇବି।”ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ଙ୍କୁ ପଚାରିବାରୁ ସେ କହିଛନ୍ତି, “ପ୍ରଧାନ ଶିକ୍ଷୟିତ୍ରୀ ମୋତେ ଏ ଯାଏ କିଛି ଜଣାଇ ନାହାନ୍ତି। କାଲି ମୁଁ ନିଜେ ସ୍କୁଲକୁ ଯାଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି।” ଏହି ଘଟଣା ପରେ ଅଭିଭାବକମାନେ ଭୟଭୀତ। ସେମାନଙ୍କ ଦାବି – ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଆସି ବିଦ୍ୟାଳୟର ପାନୀୟ ଜଳ, ଟ୍ୟୁବୱେଲ ଓ ପରିମଳ ବ୍ୟବସ୍ଥା ଯାଞ୍ଚ କରୁ, ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁ ଏବଂ ଆକ୍ରାନ୍ତ ପିଲାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଉ। ଯଦି ଏହାକୁ ହେଳା କରାଯାଏ, ରୋଗ ମହାମାରୀ ରୂପ ନେଇ ପାରେ।

